ପୂର୍ବତନ ବିଧାୟକ ତଥା ପ୍ରଥମ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ପରଲୋକ: ଲାଞ୍ଜିଗଡ଼ ବ୍ଲକ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତର ଦାନେରଗୁଡ଼ା ଗ୍ରାମର ବାସିନ୍ଦା, ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଲାଞ୍ଜିଗଡ଼ ସମେତ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ମାଝୀ ବିଜେପୁରରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ପରେ ଲାଞ୍ଜିଗଡ଼ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ। ଛାତ୍ରଜୀବନରୁ ହିଁ ସେ ଲାଞ୍ଜିଗଡ଼ ଅଞ୍ଚଳର ସାମାଜିକ ଓ ସାଧାରଣ କାର୍ଯ୍ୟକଳାପ ସହ ଜଡ଼ିତ ରହିଥିଲେ। ମିଳାପୀ ଓ ଜନସମ୍ପର୍କଶୀଳ ବ୍ୟକ୍ତିତ୍ୱ ଭାବେ ସେ ଅଞ୍ଚଳବାସୀଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ।
୧୯୯୨ ମସିହାରେ ସେ ପ୍ରଥମ ଥର ପାଇଁ ବିଜେପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୭ ମସିହାରେ ସେହି ପଞ୍ଚାୟତରୁ ସମିତିସଭ୍ୟ ଭାବେ ବିଜୟୀ ହୋଇଥିବାବେଳେ ୨୦୦୩ ମସିହାରେ ପୁଣିଥରେ ବିଜେପୁର ପଞ୍ଚାୟତର ସରପଞ୍ଚ ହୋଇଥିଲେ। ପରବର୍ତ୍ତୀ ସମୟରେ ନୂତନ ଭାବେ ଗଠିତ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ୨୦୦୯ ମସିହାରେ ସେ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ ଥିବା ସମୟରେ ଲାଞ୍ଜିଗଡ଼ ସମେତ ଥୁଆମୂଳ ରାମପୁର, ଜୟପାଟଣା ଓ ଭବାନୀପାଟଣା ସଦର ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସେ ସକ୍ରିୟ ଭୂମିକା ନେଇଥିଲେ। ୨୦୨୧ ମସିହାରେ ସେ ବିଜୁ ଜନତା ଦଳରେ ଯୋଗଦେଇଥିଲେ। ତାଙ୍କ ରାଜନୈତିକ ଓ ସାମାଜିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ମସିହାରେ ତାଙ୍କୁ କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ।
ସୂଚନା ଅନୁସାରେ, ଗତ ପ୍ରାୟ ଦୁଇ ମାସ ଧରି ଶିବାଜୀ ମାଝୀ ଅସୁସ୍ଥ ଥିଲେ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ସେ ନିଜ ଗାଁ ଦାନେରଗୁଡ଼ାକୁ ଫେରିଥିଲେ। ମଙ୍ଗଳବାର ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ତାଙ୍କୁ ପୁଣି ଭୁବନେଶ୍ୱର ଯାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ତେବେ ଶିବାଜୀ ମାଝୀ ନିଜ ସ୍ୱାସ୍ଥ୍ୟ ଭଲ ଥିବା କହିଥିଲେ।
ମଙ୍ଗଳବାର ରାତିରେ ଖାଦ୍ୟ ଖାଇ ଶୋଇଥିବାବେଳେ ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇଥିଲା। ପରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଲାଞ୍ଜିଗଡ଼ ସମେତ ସମଗ୍ର କଳାହାଣ୍ଡିରେ ଶୋକର ଛାୟା ଖେଳିଯାଇଥିଲା। ଜଣେ ଆଦିବାସୀ ନେତା ଓ ସୁସଂଗଠକ ଭାବେ ଶିବାଜୀ ମାଝୀ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ସହ ସମଗ୍ର କଳାହାଣ୍ଡିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଛାଡ଼ିଯାଇଛନ୍ତି। ବୁଧବାର ସକାଳେ ଦାନେରଗୁଡ଼ା ଗ୍ରାମରେ ତାଙ୍କ ମରଶରୀରର ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ପରେ ଶୋକାକୁଳ ପରିବେଶରେ ତାଙ୍କ ମରଶରୀରକୁ ଗାଁ ଶ୍ମଶାନକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ପ୍ରାୟ ୩ ହଜାରରୁ ଅଧିକ ଲୋକ ଶେଷ ଦର୍ଶନରେ ସାମିଲ ହୋଇଥିବା ଜଣାପଡ଼ିଛି। ଶୋକସଭାରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଧର ପେସନିଆ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନହର ହରପାଲ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ, ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ, ସ୍ୱେଚ୍ଛାସେବୀ ରାଜେନ୍ଦ୍ର ମାଳି, ବିଜେପି ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ସମିତିସଭ୍ୟ ପ୍ରଦୀପ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ଜିଲ୍ଲା ବିଜେଡି ସହ-ସମ୍ପାଦକ ପାତ୍ର ମାଝୀ, ଭଗବାନ ହୋତା, ମନୋଜ ମାଝୀ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ଗୋବିନ୍ଦ ପ୍ରଧାନୀଙ୍କ ସମେତ ବହୁ ଜନପ୍ରତିନିଧି, ସାମାଜିକ କର୍ମୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ।
ଶିବାଜୀ ମାଝୀଙ୍କ ବିୟୋଗରେ ଦାନେରଗୁଡ଼ା ଗ୍ରାମ ସମେତ ସମଗ୍ର ଲାଞ୍ଜିଗଡ଼ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ବିୟୋଗରେ ଜଣେ ଜନସମ୍ପର୍କଶୀଳ ନେତାଙ୍କୁ ଅଞ୍ଚଳବାସୀ ହରାଇଲେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।