କଳାହାଣ୍ଡି ଜିଲ୍ଲା: ୪,୩୧୮.୬୫ କୋଟି ଟଙ୍କାର ବାର୍ଷିକ ଖସଡ଼ା ସର୍ବସମ୍ମତିକ୍ରମେ ଅନୁମୋଦିତ !
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାର ଚଳିତ ଆର୍ଥିକ ବର୍ଷର ପ୍ରଥମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିକାଶ ଓ ବିଭିନ୍ନ ଯୋଜନାର ରୂପାୟନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ସୁଧୀରା ମେହେର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସଦସ୍ୟ ଓ ସଦସ୍ୟା, ସାଂସଦ ଓ ବିଧାୟକଙ୍କ ମନୋନୀତ ସଦସ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ଜିଲ୍ଲା ଯୋଜନା କମିଟିର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀ କାନୁ ଦଳେଇ ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ସମଗ୍ର ଜିଲ୍ଲାର ୪,୩୧୮.୬୫ କୋଟି ଟଙ୍କାର ବାର୍ଷିକ ଖସଡ଼ା ବିତ୍ତୀୟ ବିବରଣୀ ଅନୁମୋଦନ ପାଇଁ ସଭାରେ ଉପସ୍ଥାପନ କରିଥିଲେ। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ପଟ୍ଟଯୋଶୀ ଜିଲ୍ଲାର ଜଳସେଚନ, ରାସ୍ତାଘାଟ, ପାନୀୟ ଜଳ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସହ ଏହାର ସୁଫଳ ଯେପରି ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ବିଭାଗୀୟ ଅଧିକାରୀମାନେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଠିକ୍ ସମୟରେ ତାହାର ସମାଧାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଜିଲ୍ଲାର ଆରଡି ଓ ଆର୍ଆଣ୍ଡବି ବିଭାଗ ଅଧୀନରେ ଥିବା ରାସ୍ତାଗୁଡ଼ିକର ସଠିକ୍ ରକ୍ଷଣାବେକ୍ଷଣ ଓ ମରାମତି ଉପରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବୈଠକରେ ଉପସ୍ଥିତ ଜିଲ୍ଲା ଯୋଜନା କମିଟିର ସଦସ୍ୟ ଓ ସଦସ୍ୟାମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ ସେଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।ଶେଷରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ସମଗ୍ର କଳାହାଣ୍ଡି ଜିଲ୍ଲାର ୪,୩୧୮.୬୫ କୋଟି ଟଙ୍କାର ବାର୍ଷିକ ଖସଡ଼ାକୁ ସର୍ବସମ୍ମତିକ୍ରମେ ଅନୁମୋଦନ କରିଥିଲେ। ଶେଷରେ ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।