ସ୍ଵାଧୀନତାର ୮୦ବର୍ଷ ପରେ ମଧ୍ୟ, ଗାଁ କୁ ଆମ୍ବୁଲାନ୍ସ ପହଞ୍ଚିବା ସାତ ସପନ : କଳାହାଣ୍ଡି ଜିଲ୍ଲା
କଳାହାଣ୍ଡି ଜିଲ୍ଲା ଡହଗାଁ ପଞ୍ଚାୟତ ଅନ୍ତର୍ଗତ ସରସମାଲ ନୂଆବନ୍ଧପଡାକୁ ଯିବା ରାସ୍ତା ଦୀର୍ଘଦିନ ଧରି ଅବ୍ୟବସ୍ଥିତ ହୋଇପଡ଼ିଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଚାରିଚକିଆ ଯାନ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଫଳରେ ଜରୁରୀ ସମୟରେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ୁଛି। ସରସମାଲ ନୂଆବନ୍ଧପଡାକୁ ଯିବା ରାସ୍ତାର ଏଭଳି ଦୟନୀୟ ଚିତ୍ର ଏବେ ଗ୍ରାମବାସୀଙ୍କ ପାଇଁ ନିତିଦିନିଆ ସମସ୍ୟା ପାଲଟିଛି। ରାସ୍ତାରେ ଖାଲଖମା ଓ ଅବ୍ୟବସ୍ଥା ଯୋଗୁଁ ବିଶେଷକରି ବର୍ଷା ଦିନରେ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ଗୁରୁତର ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ତୁରନ୍ତ ଚିକିତ୍ସାଳୟ ନେବା ସମୟରେ ସମସ୍ୟା ଆହୁରି ସଙ୍ଗୀନ ହେଉଛି। ଗାଁ ଭିତରକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ରୋଗୀଙ୍କୁ ପ୍ରାୟ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ଖଟିଆରେ ବୋହି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି।
କେବଳ ସ୍ୱାସ୍ଥ୍ୟସେବା ନୁହେଁ, ରାସ୍ତାର ଦୁରବସ୍ଥାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ପଡ଼ୁଛି। ପ୍ରତିଦିନ ସ୍କୁଲ ଯିବା-ଆସିବା ସମୟରେ ଛାତ୍ରଛାତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରାଯିବା ସହ ବ୍ଲକ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି। ତେଣୁ ତୁରନ୍ତ ରାସ୍ତାର ମରାମତି କରି ଆମ୍ବୁଲାନ୍ସ ସମେତ ଅନ୍ୟ ଯାନବାହନ ଗାଁ ପର୍ଯ୍ୟନ୍ତ ସୁଗମ ଭାବେ ପହଞ୍ଚିପାରିବା ଭଳି ବ୍ୟବସ୍ଥା କରିବାକୁ ଡହଗାଁ ପଞ୍ଚାୟତବାସୀ ଓ ନୂଆବନ୍ଧପଡା ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ରିପୋର୍ଟ :- କବିରାଜ ଦୁର୍ଗାଙ୍କ (କଳାହାଣ୍ଡି)