ଗୁରୁ ରବୀଦାସଙ୍କ ୬୫୦ତମ ଜନ୍ମଜୟନ୍ତୀ ପାଇଁ ବିଶାଳ କଳସ ଶୋଭାଯାତ୍ରା : ବିଜେପି ଭବାନୀପାଟଣା ||
କଳାହାଣ୍ଡି/ଭବାନୀପାଟଣା: ସମତା, ସାମାଜିକ ସମରସତା, ଭାଇଚାରା ଓ ମାନବିକତାର ମହାନ ବାର୍ତ୍ତା ପ୍ରଚାର କରିଥିବା ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଭବାନୀପାଟଣାରେ ଏକ ବିଶାଳ କଳସ ଶୋଭାଯାତ୍ରା ଓ ମଣ୍ଡଳସ୍ତରୀୟ କଳସ ବିତରଣ କାର୍ଯ୍ୟକ୍ରମ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ସନ୍ଥ ରବୀଦାସଙ୍କ ମହାନ ବାଣୀ ଓ ମାନବିକତାବାଦୀ ବିଚାରଧାରାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗାଙ୍କ ତତ୍ତ୍ୱାବଧାନରେ ପୁରୁଣାପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଏହି ଭବ୍ୟ କଳସ ଶୋଭାଯାତ୍ରା ବାହାରିଥିଲା। ଶ୍ରଦ୍ଧାଳୁ, ଦଳୀୟ ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ସାମିଲ ହୋଇ ଟାଉନ ହଲ୍ ପର୍ଯ୍ୟନ୍ତ ଯାଇଥିଲେ। ଶୋଭାଯାତ୍ରାରେ ସନ୍ଥ ରବୀଦାସ ମହାରାଜଙ୍କ ବାଣୀ ଓ ଆଦର୍ଶର ଜୟଗାନ ସହ ସମତା ଓ ସାମାଜିକ ସମରସତାର ବାର୍ତ୍ତା ପ୍ରଚାର କରାଯାଇଥିଲା।
ଶୋଭାଯାତ୍ରା ଯେଉଁ ଯେଉଁ ସ୍ଥାନ ଦେଇ ଗତି କରିଥିଲା, ସେଠାରେ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଲୋକେ ଶ୍ରଦ୍ଧାର ସହ ପବିତ୍ର କଳସକୁ ସ୍ୱାଗତ କରିଥିଲେ। ଏହା ଫଳରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପରେ ଟାଉନ ହଲ୍ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ଯୋଗଦେଇ ସନ୍ଥ ଶିରୋମଣି ଗୁରୁ ରବୀଦାସଙ୍କ ମହାନ ଜୀବନ, ସମାଜ ପ୍ରତି ତାଙ୍କ ଅବଦାନ ଏବଂ ସମତା, ସାମାଜିକ ସମରସତା ଓ ମାନବିକତା ଉପରେ ଆଧାରିତ ତାଙ୍କ ବିଚାରଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସନ୍ଥ ରବୀଦାସଙ୍କ ବାଣୀ କୌଣସି ଏକ ନିର୍ଦ୍ଦିଷ୍ଟ ସମାଜ କିମ୍ବା ବର୍ଗ ମଧ୍ୟରେ ସୀମିତ ନୁହେଁ। ତାଙ୍କର ବିଚାର ସମଗ୍ର ମାନବ ସମାଜ ପାଇଁ ଏକ ମହାନ ଜୀବନଦର୍ଶନ। ଜାତି, ବର୍ଣ୍ଣ ଓ ଭେଦଭାବର ଊର୍ଦ୍ଧ୍ୱରେ ଉଠି ପ୍ରେମ, ସମାନତା, ଭାଇଚାରା ଓ ପରସ୍ପର ସମ୍ମାନ ମାଧ୍ୟମରେ ଏକ ସୁନ୍ଦର ସମାଜ ଗଠନ କରିବା ହିଁ ସନ୍ଥ ରବୀଦାସଙ୍କ ମହାନ ସନ୍ଦେଶ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ବିଜେପି ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନମିତା ରାଣୀ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଷ୍ଣୁ ନାଏକ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୀନଜର ଆର୍ଯ୍ୟ, ରାଜ୍ୟ ସମ୍ପାଦକ ହରିହର ମହାନଦ, ଅର୍ପ୍ରେସ ସ୍ୱାଇଁ, ଜିଲ୍ଲା ସଭାନେତ୍ରୀ କାଞ୍ଚନ ବାଗ ଏବଂ ପୂର୍ବତନ ବିଧାୟକ ଅନାମ ନାଏକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ। ବକ୍ତାମାନେ ସନ୍ଥ ରବୀଦାସ ମହାରାଜଙ୍କ ଜୀବନ ଓ ଦର୍ଶନ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କର ମାନବିକ ଓ ସମାନତାଭିତ୍ତିକ ଚିନ୍ତାଧାରାକୁ ବର୍ତ୍ତମାନ ସମାଜରେ ଅନୁସରଣ କରିବାର ଆବଶ୍ୟକତା ଉପରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡଳର ସଭାପତି ଓ ପ୍ରଭାରୀ, ଜିଲ୍ଲା ପଦାଧିକାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ ନେତୃତ୍ୱ ଉପସ୍ଥିତ ରହିଥିଲେ। ପରେ ସନ୍ଥ ରବୀଦାସ ମହାରାଜଙ୍କ ଜନ୍ମଭୂମିରୁ ଆସିଥିବା ପବିତ୍ର କଳସଗୁଡ଼ିକୁ ଜିଲ୍ଲାର ବିଭିନ୍ନ ମଣ୍ଡଳକୁ ଶ୍ରଦ୍ଧା ଓ ଭକ୍ତିର ସହ ବିତରଣ କରାଯାଇଥିଲା। ଏହି ପବିତ୍ର କଳସକୁ ସ୍ୱାଗତ କରିବା ପାଇଁ ଶୋଭାଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଲୋକେ ଶ୍ରଦ୍ଧାର ସହ କଳସକୁ ସ୍ୱାଗତ କରିବା ସହ ସନ୍ଥ ରବୀଦାସଙ୍କ ମହାନ ବାଣୀ ଓ ବିଚାରଧାରା ପ୍ରତି ସମ୍ମାନ ପ୍ରକାଶ କରିଥିଲେ। ସନ୍ଥ ରବୀଦାସଙ୍କ ୬୫୦ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କର ସମତା, ସମରସତା, ଭାଇଚାରା ଓ ମାନବିକତାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ସଙ୍କଳ୍ପ ବୋଲି ଆୟୋଜକ ମାନେ କହିଥିଲେ। ଏହି ଆୟୋଜନ କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ, ବରଂ ସାମାଜିକ ସମାନତା, ଭାଇଚାରା ଓ ମାନବିକ ମୂଲ୍ୟବୋଧକୁ ମଜବୁତ କରିବାର ଏକ ପବିତ୍ର ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା।
କବିରାଜ ଦୁର୍ଗା (ଖୋଲାମଞ୍ଚ ପ୍ରଜାତନ୍ତ)