ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ର ନିର୍ଦ୍ଦେଶ କୁ ପାଳନ କରୁନାହାନ୍ତି ଜିଲ୍ଲା ସ୍ତରୀୟ ଅଧିକାରୀ !
ବ୍ରହ୍ମପୁର, ଅଗଷ୍ଟ ୧୭: (ତୋଫାନ ଗୌଡ଼): ବ୍ରହ୍ମପୁର ତହସିଲ ଅଧୀନ ମହାମାୟୀପୁର ମୌଜାର ରଙ୍ଗୁଣିବନ୍ଧ ସାହି ସମେତ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ପ୍ରାୟ ୯୨ଟି ପରିବାର ଦୀର୍ଘଦିନର ଜମି ଅଧିକାର ସମସ୍ୟାର ସମାଧାନ ଓ ଆରଓଆର୍/ଘରବାରୀ ପଟ୍ଟା ପ୍ରଦାନ ଦାବିରେ ସୋମବାର ବ୍ରହ୍ମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ଧାରଣାରେ ସାମିଲ ହୋଇଥିବା ବାସିନ୍ଦାମାନେ ଅଭିଯୋଗ କରିଥିଲେ ଯେ, ଦୀର୍ଘବର୍ଷ ଧରି ଏହି ସମସ୍ୟାର ସମାଧାନ ପାଇଁ ସେମାନେ ବିଭିନ୍ନ ସ୍ତରରେ ଦାବି ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି। ୪ ଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ପ୍ରସଙ୍ଗ ଉଠାଇ ଜମି ରେକର୍ଡର ସମାଧାନ ଏବଂ ଆରଓଆର୍/ଘରବାରୀ ପଟ୍ଟା ପ୍ରଦାନ କିମ୍ବା ସଂଶୋଧନ ପାଇଁ ଦାବି କରାଯାଇଥିବା ସେମାନେ କହିଛନ୍ତି।ବ୍ରହ୍ମପୁର ତହସିଲ ଅଧିନ ମହାମାୟୀପୁର ମୌଜାର ୯୨ ଜଣଙ୍କ ଜମି ତହସିଲ ରେକର୍ଡ ରେ ଭୂଲ ବଶତଃ ବ୍ରହ୍ମପୁର ମ୍ୟୁନିସିପାଲିଟି ନାମରେ ରେକର୍ଡ ରହିଥିବା ବେଳେ ଏହା ସଂଶୋଧନ ପାଇଁ ଅଞ୍ଚଳ ବାସୀ ଦୀର୍ଘ ଦିନ ନାନା ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି।ତେବେ ବ୍ରହ୍ମପୁର ମ୍ୟୁନିସିପାଲିଟି ପକ୍ଷରୁ ଜନୈକ ବ୍ୟକ୍ତି ଙ୍କ ସପକ୍ଷରେ ୧୯ ଫେବୃଆରୀ ୧୯୯୯ରେ ଜାରି ହୋଇଥିବା ଏନ୍ଓସି ରେ ମହାମାୟୀପୁର ମୌଜାର ହାଲ୍ ପ୍ଲଟ୍ ନଂ ୯୭୨ ସମ୍ପର୍କରେ ଆରଓଆର୍ ପରିବର୍ତ୍ତନ ପାଇଁ ମ୍ୟୁନିସିପାଲିଟିର କୌଣସି ଆପତ୍ତି ନଥିବା ଉଲ୍ଲେଖ ରହିଛି।ସେହି ଦଲିଲରେ ସମ୍ପୃକ୍ତ ଜମିର ଏକ ଅଂଶ ବ୍ରହ୍ମପୁର ମ୍ୟୁନିସିପାଲିଟି ନାମରେ ରେକର୍ଡ ରହିଥିବା ଏବଂ ସମ୍ପୃକ୍ତ ବ୍ୟକ୍ତି ଙ୍କ ସପକ୍ଷରେ ଆରଓଆର୍ ପରିବର୍ତ୍ତନ ପାଇଁ ଏନ୍ଓସି ଜାରି ସହ “ଭୂଲ ବଶତଃ ମୁନିସିପାଲିଟି ବୋଲି ଚିଠିରେ ଉଲ୍ଲେଖ” କରିଛନ୍ତି ।ସେପରି ୯୨ ଜଣଙ୍କ ଜମି ସଂଶୋଧନ କିମ୍ବା ଏନ ଓ ସି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିବା ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜୁନ୍ ୧୨, ୨୦୨୬ରେ ପତ୍ର ନମ୍ବର ୧୦୨୫୬ ମାଧ୍ୟମରେ ସ୍ପଷ୍ଟ କରାଯାଇଥିଲା ଯେ ROR/ଘରବାରୀ ପଟ୍ଟା ପ୍ରଦାନ କରିବାର କ୍ଷମତା ମହାନଗର ନିଗମର ନାହିଁ ଏବଂ ଏହା ରାଜସ୍ୱ ବିଭାଗର ଅଧିକାର କ୍ଷେତ୍ରଭୁକ୍ତ। ଏଥିସହ ରାଜସ୍ୱ ପ୍ରକ୍ରିୟା ଆରମ୍ଭ କିମ୍ବା ନିଷ୍ପତ୍ତି ପାଇଁ ମହାନଗର ନିଗମର କୌଣସି NOC ଆବଶ୍ୟକ ନଥିବା ମଧ୍ୟ ସ୍ପଷ୍ଟ କରାଯାଇଥିବା ସେ କହିଛନ୍ତି।
ତେବେ ଏହି ସ୍ପଷ୍ଟୀକରଣ ସତ୍ତ୍ୱେ ବ୍ରହ୍ମପୁର ତହସିଲଦାର, ଅତିରିକ୍ତ ତହସିଲଦାର କିମ୍ବା ଅନ୍ୟ ରାଜସ୍ୱ କର୍ତ୍ତୃପକ୍ଷଙ୍କ ଆଇନ ଅନୁଯାୟୀ ପଦକ୍ଷେପ ନେଇ ପଟ୍ଟା ପ୍ରଦାନ ରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।ଗତ ଜୁଲାଇ ୨୭ରେ ହୋଇଥିବା ଅଭିଯୋଗ ଶୁଣାଣି ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଟେଲିଫୋନ୍ ଯୋଗେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ସହ କଥା ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହ ଗଞ୍ଜାମ ଜିଲ୍ଲାପାଳ ଓ ବିଏମ୍ସି କମିଶନରଙ୍କୁ ତୁରନ୍ତ ପଦକ୍ଷେପ ପାଇଁ ଲିଖିତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲେ।ତେବେ ଏପର୍ଯ୍ୟନ୍ତ ମାମଲାର ସମାଧାନ ଦିଗରେ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇନଥିବା ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ କରାଯାଉଥିବା ସତ୍ତ୍ୱେ ମୂଳ ଜମି ରେକର୍ଡ ସଂଶୋଧନ ନହେବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଧାରଣା ମାଧ୍ୟମରେ ବାସିନ୍ଦାମାନେ ପୂର୍ବରୁ ନିଷ୍ପତ୍ତି ହୋଇଥିବା ଅଭିଯୋଗଗୁଡ଼ିକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରାଜସ୍ୱ ଅଧିକାରୀ ଙ୍କ ଦ୍ୱାରା ମାମଲାର ବିସ୍ତୃତ ଯାଞ୍ଚ ଦାବି କରିଛନ୍ତି। ଏଥିସହ ଜମିର ଦଖଲ, ସାବିକ ରେକର୍ଡ, ୧୯୯୯ରେ ବ୍ରହ୍ମପୁର ମ୍ୟୁନିସିପାଲିଟି ପକ୍ଷରୁ ଜାରି ଏନ୍ଓସି ଏବଂ ଅନ୍ୟ ସମସ୍ତ ସମ୍ପୃକ୍ତ ଦଲିଲ ଯାଞ୍ଚ କରି ଆଇନ ଅନୁଯାୟୀ ଆରଓଆର୍/ଘରବାରୀ ପଟ୍ଟା ପ୍ରଦାନ କିମ୍ବା ସଂଶୋଧନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।ଦୀର୍ଘଦିନ ଧରି ପଟ୍ଟା ସମସ୍ୟାରେ ଜଡ଼ିତ ପରିବାରଗୁଡ଼ିକର ଦୁର୍ଦ୍ଦଶା ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ ଏବଂ ସମୟବଦ୍ଧ ଭାବେ ସମସ୍ୟାର ସମାଧାନ ଦାବିରେ ଏହି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିବା ବାସିନ୍ଦାମାନେ କହିଛନ୍ତି। ଜିଲ୍ଲା ପ୍ରଶାସନ ଓ ରାଜସ୍ୱ କର୍ତ୍ତୃପକ୍ଷ ଜମି ସମ୍ପର୍କିତ ସମସ୍ତ ରେକର୍ଡ ଓ ଦଲିଲର ସମଗ୍ର ଯାଞ୍ଚ କରି ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ପଟ୍ଟା ପ୍ରଦାନ ସହ “ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ର ଗାରିମା ରଖନ୍ତୁ” ବୋଲି ସେମାନେ କହିଛନ୍ତି।
