କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରି ଅପପ୍ରଚାରରୁ ଦୂରେଇ ଏକମନ ଓ ଏକପ୍ରାଣ ହୋଇ ପାଠପଢ଼ା ଓ କ୍ୟାରିୟର ଗଠନ ଉପରେ ଗୁରୁତ୍ୱ ଦେବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା।” ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ଉପରେ ଆଲୋକପାତ କରି ସେ ଛାତ୍ରଛାତ୍ରୀଙ୍କୁ ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ନେଇ ଜୀବନରେ ସଫଳ ହେବାକୁ ଆହ୍ୱାନ ଦେଇଥିଲେ।
ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶରେ ପ୍ରଥମ। ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨,୨୦୦ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ ସହ ୪୫ ହଜାର ଶିଶୁ ବାଟିକା ଖୋଲାଯାଇଛି। ଆଗାମୀ ୩ ବର୍ଷରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି।
ବିଦ୍ୟାଳୟ ରୂପାନ୍ତରଣରେ ‘ପଞ୍ଚସଖା ଶିକ୍ଷା ସେତୁ’ର ଭୂମିକାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ଅନୁଭବ ଓ ସହଯୋଗକୁ ନେଇ ବିଦ୍ୟାଳୟର ସମନ୍ୱିତ ରୂପାନ୍ତରଣ ହେଉଥିବା ସେ କହିଥିଲେ।
ଏହି ଅବସରରେ ଶିକ୍ଷାଦାନରେ ନିଷ୍ଠାପର ସେବା ପାଇଁ ଅଶୋକ କୁମାର ଶତପଥୀ, କୁମୁଦିନୀ ଜୀ, ଶକୁନ୍ତଳା ମହାନ୍ତି, ଦୈତାରୀ ସାହୁ ଓ ଜୟନ୍ତୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ। ସମାରୋହରେ ବିଭିନ୍ନ ଜନପ୍ରତିନିଧି, ଶିକ୍ଷା ବିଭାଗର ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।