କଳାହାଣ୍ଡିରେ ଉତ୍ସାହ ଓ ଉଦ୍ଦୀପନାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ |ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ୍ର (କବିରାଜ ଦୁର୍ଗା)ଭବାନୀପାଟଣା, ୧୫/୮: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ଶନିବାର ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ।
ସ୍ୱାଧୀନତା ଦିବସ ଅବସରରେ ସକାଳ ୭ଟା ୩୦ ମିନିଟରେ ଭବାନୀପାଟଣା ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା କୋଠାବାଡ଼ିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପରେ ସକାଳ ୯ଟା ୧୫ ମିନିଟରେ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।
ସକାଳ ୯ଟା ୩୦ ମିନିଟରେ ପ୍ୟାରେଡ୍ ପରେ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ଏବଂ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ସକାଳ ୧୦ଟାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନଠାରେ ରକ୍ତଦାନ ଶିବିର ଉଦ୍ଘାଟିତ ହୋଇଥିଲା। ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଜେନେରାଲ ୱାର୍ଡ ଓ ଶିଶୁ ୱାର୍ଡ, ଜିଲ୍ଲା କାରାଗାର, ରେଡକ୍ରସ ଦିବ୍ୟାଙ୍ଗ ଅନୁଷ୍ଠାନ, ନେହେରୁ ସେବା ସଂଘ ଶିଶୁଯତ୍ନ ଅନୁଷ୍ଠାନ ଏବଂ ପର୍ଯ୍ୟବେକ୍ଷଣ ସ୍ୱତନ୍ତ୍ର ଗୃହ ପରିଦର୍ଶନ କରି ସେଠାରେ ଥିବା ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ସନ୍ଧ୍ୟା ୫ଟାରେ ସ୍ଥାନୀୟ ଟାଉନ୍ହଲ୍ଠାରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହାସହ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ଲୋକସମ୍ପର୍କ ବିଭାଗ, କଳାହାଣ୍ଡି, ଭବାନୀପାଟଣା ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଜିଲ୍ଲାପାଳ ସଚିନ ପ୍ରକାଶ, ଭା.ପ୍ର.ସେ.ଙ୍କ ତତ୍ତ୍ୱାବଧାନରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏଥିରେ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡାଙ୍କ ସମେତ ଶିକ୍ଷାବିତ୍, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।