ମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ-୬ଛତିକୁଡ଼ା ଛକରେ ଖାଲଖମାରେ ହନ୍ତସନ୍ତ ଯାତ୍ରୀ ଓ ବ୍ୟବସାୟୀ, ତୁରନ୍ତ ମରାମତି ଦାବି
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ୍ର(କବିରାଜ ଦୁର୍ଗା)ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଛତିକୁଡ଼ା ଛକ ଦେଇ ଯାଇଥିବା ରାଜ୍ୟ ରାଜପଥ-୬ର ଦୁରବସ୍ଥା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ଧୂଳି ଓ କାଦୁଅ ଯୋଗୁଁ ଯାତାୟାତ କଷ୍ଟକର ହୋଇପଡ଼ିଛି। ଫଳରେ ଯାତ୍ରୀ, ଚାଳକ ଓ ରାସ୍ତାକଡ଼ର ବ୍ୟବସାୟୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଏହି ପ୍ରମୁଖ ରାସ୍ତା ଦେଇ ପ୍ରତିଦିନ ଶହ ଶହ ମାଲବାହୀ ଯାନ ସମେତ ବିଭିନ୍ନ ପ୍ରକାର ଯାନବାହନ ଚଳାଚଳ କରୁଛି। ଭବାନୀପାଟଣାରୁ ଛତିକୁଡ଼ା ଦେଇ ରାୟପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ଭାରୀ ଯାନବାହନ ନିୟମିତ ଯାତାୟାତ କରୁଛି। ଏଥିସହ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କମ୍ପାନୀର ମାଲବାହୀ ଯାନ ମଧ୍ୟ ଏହି ରାସ୍ତା ବ୍ୟବହାର କରୁଥିବାରୁ ଛତିକୁଡ଼ା ଛକରେ ଯାନବାହନ ଚଳାଚଳର ଚାପ ଅଧିକ ରହୁଛି।
ଛତିକୁଡ଼ା ଏକ ପ୍ରମୁଖ ବ୍ୟବସାୟିକ ଛକ ହୋଇଥିବାରୁ ରାସ୍ତାକଡ଼ରେ ବହୁ ବ୍ୟବସାୟୀ ଦୋକାନ କରି ଜୀବିକା ନିର୍ବାହ କରୁଛନ୍ତି। ଖରାଦିନେ ଭାରୀ ଯାନବାହନ ଚଳାଚଳ ସମୟରେ ରାସ୍ତାରୁ ଧୂଳି ଉଡ଼ି ଦୋକାନ ଓ ବ୍ୟବସାୟିକ ସାମଗ୍ରୀ ଉପରେ ପଡ଼ୁଥିବାରୁ ବ୍ୟବସାୟୀମାନେ ଅସୁବିଧାରେ ପଡ଼ୁଛନ୍ତି। ଅନ୍ୟପକ୍ଷରେ ବର୍ଷା ହେଲେ ରାସ୍ତାର ଖାଲଖମାରେ ପାଣି ଜମି ଯାଉଥିବାରୁ ଗାଡ଼ି ଚଳାଚଳ ଆହୁରି ବିପଦପୂର୍ଣ୍ଣ ହୋଇପଡ଼ୁଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ତାର ଦୁରବସ୍ଥା ଯୋଗୁଁ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଛି। ଦିନକୁ ଦିନ ରାସ୍ତାର ସ୍ଥିତି ଅଧିକ ଖରାପ ହେଉଥିବାରୁ ଯେକୌଣସି ସମୟରେ ବଡ଼ ଅଘଟଣ ଘଟିବାର ଆଶଙ୍କା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।
ତେଣୁ ଆଗକୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ରାଜପଥର ଦୁରବସ୍ଥା ଦୂର କରି ତୁରନ୍ତ ମରାମତି କରିବା ସହ ଯାତାୟାତ ଉପଯୋଗୀ କରିବାକୁ ସ୍ଥାନୀୟ ଜନସାଧାରଣ, ଯାତ୍ରୀ ଓ ବ୍ୟବସାୟୀମାନେ ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ନିକଟରେ ଦାବି କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଦାବିକୁ ନେଇ ଗଣଧାରଣା କିମ୍ବା ଆନ୍ଦୋଳନ ହୋଇପାରେ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି।