କଲମରେ ବନ ମହୋତ୍ସବ,ଗଛ ଲଗାଇ ପରିବେଶ ସୁରକ୍ଷାର ଶପଥ ନେଲେ ଛାତ୍ରଛାତ୍ରୀ:ଭବାନୀପାଟଣା
ଉତ୍ତର କଳାହାଣ୍ଡି ବନ ବିଭାଗ ଓ କଲମ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଲମଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମର୍ଥନ ଏବଂ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମା କେ ନାମ୍’ ଆହ୍ୱାନରେ ଅନୁପ୍ରାଣିତ ହୋଇ ଶତାଧିକ ଛାତ୍ରଛାତ୍ରୀ ନିଜ ନିଜ ମା’ଙ୍କ ନାମରେ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ। ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ସହ ସେଗୁଡ଼ିକୁ ବୃକ୍ଷରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀମାନେ ଶପଥ ମଧ୍ୟ ନେଇଥିଲେ।
ଏହି ଅବସରରେ ଅତିଥିମାନେ ପରିବେଶ ସନ୍ତୁଳନ, ବୃକ୍ଷର ଗୁରୁତ୍ୱ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଗଛ କେବଳ ପରିବେଶର ସୁରକ୍ଷା କରେ ନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସର୍ବେଶ୍ୱର ଗହିର, ଅଶୋକ କୁମାର ସାହୁ, କୃଷ୍ଣ ଚନ୍ଦ୍ର ପ୍ରଧାନ, ମହେନ୍ଦ୍ର ବାଗ, ମେଘନାଦ ପଟେଲ, ଦୁର୍ଯ୍ୟୋଧନ ଯୋଶୀ, ଶସ୍ମିତା ଭୋଇ, ସୁଧାଂଶୁ ରାଉତ, ଲକ୍ଷ୍ମଣ ପ୍ରଧାନ, ଅମିତ ପ୍ରଧାନ, ରୁଦ୍ରମଣି ନାଗ, କୀର୍ତ୍ତନ ମାଝୀ, କମଳ ମାଝୀ ଓ ଭବାନୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।
ବନ ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ଏଭଳି ଅଭିନବ ଓ ପରିବେଶମୁଖୀ ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପ୍ରତି ଜନସଚେତନତା ବୃଦ୍ଧିରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।
(କବିରାଜ ଦୁର୍ଗା, ଭବାନୀପାଟଣା)