MMDR-2026 ଆଇନ ପ୍ରତ୍ୟାହାର ଦାବିରେ ସର୍ବଦଳୀୟ ପ୍ରତିବାଦ ||
MMDR-2026 ଆଇନ ପ୍ରତ୍ୟାହାର ଦାବିରେ ଭବାନୀପାଟଣାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସର୍ବଦଳୀୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଆଇନର ବିଭିନ୍ନ ବ୍ୟବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରି ବିଭିନ୍ନ ଦଳର ନେତାମାନେ ଏକଜୁଟ ହୋଇ ଜନସ୍ୱାର୍ଥ, ପରିବେଶ ଓ ସ୍ଥାନୀୟ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ସ୍ୱର ଉଠାଇଥିଲେ।
ସଭାରେ କଂଗ୍ରେସ ଜିଲ୍ଲା ସଭାପତି ଜଳନ୍ଧର ନାଏକ, ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, କଂଗ୍ରେସର ବରିଷ୍ଠ ନେତା ଧନୁର୍ଦ୍ଧର ଗହୀର, ବ୍ରଜ ସାହୁ, ଉତ୍ସବ ସାହୁ, ଇନ୍ଦ୍ରଜିତ ମହାକୁଡ଼, ସୁବାଷ ପ୍ରଧାନ ଓ ଲିଙ୍ଗରାଜ ନାୟକଙ୍କ ସମେତ ସିପିଆଇ(ଏମ)ର ନବ ପଟ୍ଟନାୟକ, ସିପିଆଇ(ଏମଏଲ)ର ଦାମ ବେହେରା ଏବଂ ସମାଜବାଦୀ ପାର୍ଟିର ଜଗଦିଶ ଧଙ୍ଗଡାମାଝୀଙ୍କ ସମେତ ବିଭିନ୍ନ ଦଳର ନେତା ଓ କର୍ମୀ ଯୋଗଦେଇଥିଲେ।
ପ୍ରତିବାଦକାରୀମାନେ MMDR-2026 ଆଇନ ପ୍ରତ୍ୟାହାର ସହ ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱର ଯଥୋଚିତ ଅଂଶ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କ କଲ୍ୟାଣରେ ବ୍ୟୟ କରିବାକୁ ଦାବି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ନେତାମାନେ ଚେତାବନୀ ଦେଇଥିଲେ।