ବଜାର ଛାଡି଼ଲି ରାତି ୧୧.୩୦ ରେ। ମନେ ମନେ ଗୋଟେ ଗୀତ ଗୁଣୁ ଗୁଣେଇ ଘର ଆଡକୁ ଚାଲିଛି। ଗୀତଟାର ଅର୍ଥହେଲା ମଣିଷ ଜୀବନରେ କିଛି ଦୁଃଖ ନାହିଁ। କାରଣ ସାରା ପୃଥିବୀଟା ତା’ ହାତରେ ଅଛି।
ଠିକ ବଜାର ମୁଣ୍ଡରେ ପହଞ୍ଚିଲି ଜଣେ ଲୋକ ଗାଡି଼ ଅଟକାଇବାପାଇଁ ହାତ ଦେଖାଇଲେ। ମାନେ ଲିଫ୍ଟ ଦରକାର।ଅଟକାଇଲି,ବାଁ ପଟ ଦରଜା ଖୋଲିଲି,ସେ ବସିଲେ। ଥ୍ରୀ ପିସ୍ ସୁଟ୍ ସହିତ ଟାଇ ପିନ୍ଧିଥାନ୍ତି। ସୁଦର୍ଶନ ଚେହେରା।ପଚାରିଲି,ସାର୍,କେତେଦୂର ଯିବେ।
କହିଲେ,ଆପଣଙ୍କ ଘର ପାଖକୁ। ଆପଣଙ୍କ ଘର ଆଗରେ ଯେଉଁ ସନ୍ତୋଷ ପଣ୍ଡା,ତାଙ୍କ ଘରକୁ। ଖାଲି ତାଙ୍କୁ ଗୋଟେ ସ୍ୱପ୍ନ ଦେଖାଇ ପଳେଇ ଆସିବି।
ପଚାରିଲି,ମାନେ ? କିଛି ବୁଝି ପାରିଲିନି ?
କହିଲେ-ଆପଣ ଯେଉଁ ଗୀତଟା ଗାଇ ଗାଇ ଆସୁଥିଲେ,ସେଭଳି ଗୀତ ମୋତେ ଆଦୌ ଭଲ ଲାଗେନି।ପ୍ରାୟ ସମସ୍ତେ ଏଇଭଳି ଗୀତଟିଏ ଗାଇବାପାଇଁ ଚେଷ୍ଟା ଚଳାଇଛନ୍ତି। ମୁଁ କିନ୍ତୁ ତାକୁ ଭାଙ୍ଗିବା ପାଇଁ ପ୍ରୟାସ ଜାରି ରଖିଛି।
ଆମଘର ପହଞ୍ଚିଗଲା। ସେ ଓହ୍ଲାଇ ଯାଉ ଯାଉ ହସିଦେଇ କହିଗଲେ – ପରେ ଦେଖାହେବା।
ସତ କଥାତ। ମୋର ଅନେକ କଥା ପଚାରିବାର ଥିଲା। ଜାଣିବାର ଥିଲା। ମୋ ମନ କଥା ସେ କେମିତି ଜାଣିଲେ ! ଆଶ୍ଚର୍ଯ୍ୟ ! ହଁ ପରେତ ଦେଖାହେବ।
ତା’ପର ଦିନ।
ସକାଳୁ ଦେଖିଲି ସେ ଲୋକଙ୍କୁ। ଚିତା ଚୈତନ ଲଗାଇ , ରଙ୍ଗିନ୍ ଧୋତି ଚାଦର ପିନ୍ଧି,ନୈଷ୍ଠିକ ବ୍ରାହ୍ମଣ ରୂପ।ପାଦ ପାଖରେ ଚାରି ପାଞ୍ଚ ଲୋକ ବସିଛନ୍ତି। ମୋ ସାଙ୍ଗରେ ଆଖି ମିଶିବାରୁ ଆଖିରେ ଠାରି ଡାକିଲେ। ମୁଁ ବି ଯାଇ ତଳେ ବସିଲି।
ଜଣେ ଲୋକକୁ ସେ କହୁଥାନ୍ତି- ତୁମେ ତୁମ ବିଷୟରେ କ’ଣ ଜାଣ ? କିଛିନୁହେଁ। ସେଥିପାଇଁ ତୁମର ଉନ୍ନତି ନାହିଁ। ଖାଲି ଅନ୍ଧାରରେ ବାଡି଼ ବୁଲଉଛ। ତୁମେ କଣ ମତେ ଖୋଜିଛ। ମୁଁ ଜାଣି ପାରିଲିବୋଲି ତୁମକୁ ଡାକିଲି। ତେଣୁ ମୁଁ ଯାହା କହୁଛି ସେୟା କର। ତୁମେ ଗୋଟେ ମନ୍ଦିର ନିର୍ମାଣ କର। ତୁମର ଗୋଟେ ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ୍ ଠିଆ ହେଇଯିବ।
ଲୋକଟି କହିଲା- ମୁଁ ତ ସ୍ପଞ୍ଜ୍ ଫଞ୍ଜ୍ ବିଷୟରେ କିଛି ଜାଣିନାହିଁ।
ସେ କହିଲେ – କେହି କିଛି ଜାଣି ନଥାଏ। ଏ ସଂସାରରୁ ସବୁଜ୍ଞାନ ସଂଗ୍ରହ କରିବାକୁ ପଡ଼େ । ତୁମେ ମନ୍ଦିର ନିର୍ମାଣ ଆରମ୍ଭ କର ସେପଟେ କାରଖାନା କାମ ଆରମ୍ଭ ହୋଇଯିବ। ଇଏ ଶେଷ ତ ସିଏ ବି ସଂପୂର୍ଣ୍ଣ।
କୃତଜ୍ଞ ଲୋକଟି ପ୍ରଣାମ କରି ଉଠିଲା। ସେ ମୋ ଆଡ଼େ ଚାହିଁ ଠାରିଲେ,ପଳେଇ ଯିବାପାଇଁ। କିନ୍ତୁ ଆହୁରି ଲୋକ ଥାନ୍ତି।
ଦୁଇଦିନ ପରେ ଦେଖିଲା ବେଳକୁ ଗୋଟେ ସୁଦୃଶ୍ୟ ଜ୍ୟୋତିଷ କାର୍ଯ୍ୟାଳୟ ଖୋଲି ବସିଛନ୍ତି। ତାଙ୍କ ପାଖରେ ଅନେକ ଲୋକ ଅଛନ୍ତି। ମୋର ସେ ପଟକୁ ନଜର ନଥିଲା। ମୁଁ ଠିଆ ହୋଇ ସିଗାରେଟ ଟାଣୁଥିଲି। ସେ ମୋ ନାଁ ଧରି , ପାଟିକରି ଡାକିଲେ। ମୁଁ ତାଙ୍କ ପାଖରେ ପହଞ୍ଚିଲି। ବସିଲି। ସେ ଜଣେ ଲୋକଙ୍କୁ ବୁଝାଉ ଥାନ୍ତି-ତୁମର ଶନି ଭଲଅଛି। ତେଣୁ ଲୁହା,ଯନ୍ତ୍ରପାତି,କଳା ଓ ଖଇରିଆ ରଙ୍ଗର ଜିନିଷ ନେଇ ବ୍ୟବସାୟ କଲେ ଭଲ ହେବ। କିନ୍ତୁ ବୃହଷ୍ପତି ଖରାପ ଥିବାରୁ ମନକୁ ୟାଡ଼େସ୍ୟାଡ଼େ ଟାଣୁଛି। ସ୍ଥିର କରେଇ ଦେଉନି। ଜ୍ଞାନର ଗ୍ରହ। ଖରାପ ସମୟରେ ଗୋଟିଏ ଦିଗକୁ ନ ନେଇ ମେଞ୍ଚାଏ ଛୋଟଛୋଟ କଥାରେ ମୁଣ୍ଡ ପୁରାଉଛି। ତାକୁ ଚୁପ କରିବା ପାଇଁ ଗୋଟେ ପୋଖରାଜ ଜେମ୍ଷ୍ଟୋନ ପିନ୍ଧ। ନିଶ୍ଚୟ ବର୍ଷେ ଭିତରେ ତୁମେ ଗୋଟେ ରି-ରୋଲିଂ ମିଲ୍ କରିପାରିବ।
ଆଉ ଜଣକୁ କହିଲେ-ତୁମେ ବଟୁକଭୈରବ ମହାଯଜ୍ଞ କର।
ଏତିକି ବେଳେ ପୁଣି ଥରେ ମୋ ଆଡ଼େ ତାଙ୍କର ନଜର ପଡି଼ଗଲା। କହିଲେ-ତୁମେ ଏ ପର୍ଯ୍ୟନ୍ତ ଯାଇନ।
ଦିନେ ରାତିରେ କଟକରୁ ଘରକୁ ଫେରୁଥାଏ। କାହିଁକି କେଜାଣି ମନଟା ଭଲ ନଥାଏ। ଗୋଟେ ଉଦାସୀ ଗୀତ ଗାଇ ଗାଇ ଚାଲିଥାଏ- ୟେ ଜୀବନ୍ ହେ ଇସ୍ ଜୀବନ୍ କା ୟହି ହେ ୟହି ହେ ରଂଗ୍ ରୂପ୍ ,ୟେ ଜୀବନ୍ ହେ…..ଟାଙ୍ଗି ପରେ ପରେ ଜଣେଲୋକ ହାତଟେକି ମତେ ଅଟକାଇଲେ। ସେଇ ମୋର ପରିଚିତ ବିଚିତ୍ର ପୁରୁଷ।
ଗାଡି଼ ଅଟକାଇଲି। ସେ ବସିଲେ। ହୋ ହୋ ହୋଇ ଦମେ ହସିଲେ। ହସ ସମ୍ବରଣ କରି କହିଲେ – ତୁମେ ବଡ଼ ଦ୍ୱନ୍ଦରେ ଅଛ। ମୁଁ କିଏ , କଣ, ଜାଣିବା ପାଇଁ ଆଗ୍ରହଟିକୁ ଚାପି ରଖିଛ। କହିବାକୁ ସୁଯୋଗ ପାଉନ।
କିନ୍ତୁ ଏତିକ ବିଶ୍ୱାସ କରିସାରିଲଣି ଯେ ମୋ ହାତରେ ସବୁ କିଛି ଅଛି। ମୁଁ ସବୁକିଛି କରିପାରିବି। ତେଣୁ ମୋଠାରୁ କିଛିଗୋଟେ ପାଇବାର ଆଶା ବା କାମନା ତୁମ ମନରେ ଜନ୍ମ ହେଲାଣି। ସେଇ ସବୁକଥା ଗୋଳେଇଘାଣ୍ଟି ହୋଇ ଆଜି ତୁମ ମନଟା ଉଦାସ ହୋଇ ଯାଇଛି। ନୁହେଁ କି ? ମତେ ଏବେ ଚିହ୍ନି ପାରିଲ। ତୁମେ ସୁଖି ମଣିଷ ଟିଏ ଥିଲ। ତୁମ ମନରେ ଆଶା,କାମନା,ଲୋଭ ଜାଗ୍ରତ କରେଇଲି। ତୁମର ସୁଖ ଅପହରଣ କରିନେଲି। ମୁଁ ସମସ୍ତଙ୍କ ଭିତରେ ପଶିଯାଏ। ଯେଡ଼େ ସୁଖି ମଣିଷଟିଏ ହେଲେ ବି କାହାକୁ ଛାଡ଼େନି। ମୁଁ ଦୁଃଖ ତିଆରି କରେ,କାମନା ତିଆରି କରେ,ତା’ର ସମାଧାନ ପାଇଁ ମିଛ ବାଟ ବତାଏ। ତୁମେ ଖୁସିହେଲେ ଆଉ ଗୋଟେ ଦୁଃଖ ତିଆରି କରେ।
ମୁଁ ରାଜନୈତିକ ନେତାମାନଙ୍କ ଭିତରେ ପଶି ଭାରତ ବିଜୟର ସ୍ୱପ୍ନ ଦେଖାଉନି ? ସେ ସଂଗ୍ରାମ ଚଳାଇଛନ୍ତି କି ନାହିଁ ? ଅମ୍ବାନିଙ୍କ ଭିତରେ ପଶି ନୂଆ ବ୍ୟବସାୟର କାମନା ଜାଗ୍ରତ କରିନାହିଁ ? ସନ୍ତ୍ରାସୀଙ୍କ ମନରେ ବସି ବିଶ୍ୱ ବିଜୟର ସ୍ୱପ୍ନ ଦେଖାଉ ନାହିଁ ? ଏବେ ବିପିଏଲ୍ କଥା ଭାବ। ବିପିଏଲ୍ ଦରିଦ୍ରମାନେ କଣ ଆଗରୁ ଖାଇବା ବିନା ମରି ଯାଉଥିଲେ ? ମୁଁ ରାଜନୈତିକ ନେତାଙ୍କ ମନରେ ପଶି ଗୋଟେ କୃତ୍ରିମ ଆବଶ୍ୟକତା ତିଆରି କଲି ଓ ତାର ଗୋଟେ ମିଛ ସମାଧାନ ର ବାଟ କହିଦେଲି। ତୁଚ୍ଛା ମିଛ। ତେଣୁ ଏ ସମସ୍ୟା ଚିରଦିନ ପାଇଁ ଅ-ସମାହିତ ହୋଇ ରହିବ। ଏବେ ବିପିଏଲ୍ ବନ୍ଦ କରିଦେଲେ ଅନେକଲୋକ ମରିଯିବେ। ମଣିଷ ବିଦ୍ୟୁତବିନା ସୁଖରେ ଚଳୁଥିଲା। ମୁଁ ସେ ଆବଶ୍ୟକତା ସୃଷ୍ଟିକଲି। ଯେଉଁ ଯେଉଁ ଜିନିଷ ତୁମ ହାତରୁ ଛଡ଼ାଇନେଲେ ତୁମେ ଦୁଃଖି ହୋଇଯିବ ସେ ଗୁଡି଼କ କ’ଣ ଆଗରୁ ଥିଲା ? ତୁମର ଏଇ କାର,ମୋବାଇଲ୍,କମ୍ପ୍ୟୁଟର ? ଏସବୁ ବିନା ତୁମେ ସୁଖରେ ଥିଲ।
ଟିକେ ରହିଯାଇ ପୁଣି କହିଲେ – ମୁଁ ତୁମ ମନରେ ଗୋଟେ ଦୁଃଖ ଜନ୍ମ କଲି। ସେଇଠୁ ତୁମେ ଭାବିଲ – କଣ ଗୋଟେ ହେଲେ ମୁଁ ଟିକେ ସୁଖି ହୁଅନ୍ତି।
ତା ପରେ ଏସବୁ ଜିନିଷ ଗୋଟେ ପରେ ଗୋଟେ ତୁମ ଆଖି ଆଗରେ ହଲାଇଲି। ଏବେ ବୁଝିଲ।
ମୁଁ ସବୁ ବୁଝି ସାରିଥିଲି। ତେଣୁ କହିଲି – ହଁ । ସବୁ ବୁଝିଲି ଯେ।ହେଲେ ଆପଣ କିଏ ?
ସେ କହିଲେ-ଯାହାକୁ ପ୍ରଥମଦିନ ତୁମେ ଦେଖିଥିଲ। ମୁଁ ସେଇ ଦୁଃଖର ବଣିକ। ଏବେ ତୁମର ଇଚ୍ଛା ତୁମେ ଯାହା ଗୋଟେ ନାଁ ଦେଇପାର।
କହିଲି-ତୁମେ କଣ ତା’ହେଲେ……..
ସେ ମୋ କଥା ଶୁଣିବା ପାଇଁ ଆଉ କାର୍ ଭିତରେ ନଥିଲେ।