ବାରିପଦା: ଖଡ଼ଗପୁର IITରେ ଅଧ୍ୟୟନରତ ଥିବା ବାରିପଦାର ଯୁବପ୍ରତିଭା ଚର୍ଚ୍ଚିତ କବି ଶତପଥୀ, ସର୍ବଭାରତୀୟ ପ୍ରତିଦ୍ବନ୍ଦିତାରେ ସାଫଳ ହୋଇ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନସ୍ଥ “ନ୍ୟୁକ୍ଳିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ” (ଏନ୍.ପି.ସି.ଆଇ.ଏଲ୍.) ରେ ଯୁବ ବୈଜ୍ଞାନିକ (ଗ୍ରୁପ୍-ଏ) ଭାବେ ଯୋଗଦାନ କରିଥିବା ସୂଚନା ମିଳିଛି। ସେ ଏହି ଗୌରବ ହାସଲ କରିବାରେ ସମଗ୍ର ଦେଶର ମାତ୍ର ୪୮ ଜଣ ଯୁବ ବୈଜ୍ଞାନିକଙ୍କ ମଧ୍ୟରୁ ଅନ୍ୟତମ ବୋଲି ଜଣାଯାଇଛି। ଚର୍ଚ୍ଚିତ କବି ଶତପଥୀ, ବୁର୍ଲା “ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି” (VSSUT) ରୁ ବି.ଟେକ୍. (B.Tech. in Mechanical Engineering) କରି ‘ଗେଟ୍’ (GATE – Graduate Aptitude Test for Engineers) ରେ ସଫଳତା ହାସଲ କରି ଆଇ.ଆଇ.ଟି. (I.I.T.) ଖଡ଼ଗପୁରପୁରରେ ଏମ୍.ଟେକ୍. (M.Tech.) ଶ୍ରେଣୀରେ ଅଧ୍ୟୟନରତ ଥିଲେ। ପିତା Kavi Bishnu Satapathi ଏବଂ ମାତା ଅଧ୍ୟାପିକା ଡକ୍ଟର ହିରଣ୍ମୟୀ ଶତପଥୀଙ୍କ ଜ୍ୟେଷ୍ଠ ପୁତ୍ର ଚର୍ଚ୍ଚିତ ଶତପଥି ସମ୍ପ୍ରତି ଗୁଜୁରାଟର ସୁରତ ନିକଟରେ ଏନ୍.ପି.ସି.ଆଇ.ଏଲ୍.ର ଜଣେ “କାର୍ଯ୍ୟନିର୍ବାହୀ ଶିକ୍ଷା-ନବୀଶ” ଭାବେ କାର୍ଯ୍ୟାରମ୍ଭ କରିଛନ୍ତି ଏବଂ ସେଠାରେ ଏଗାର ମାସର ବୌଦ୍ଧିକ/ପ୍ରାଶାସନିକ ପ୍ରଶିକ୍ଷଣ ପରେ “ବୈଜ୍ଞାନିକ ଅଧିକାରୀ” ଭାବେ ଦାୟିତ୍ୱ ତୁଲାଇବେ ବୋଲି ଖବର ମିଳିଛି। ଚର୍ଚ୍ଚିତଙ୍କ ଏହି ଉପଲବ୍ଧିରେ ଏ ଜିଲ୍ଲାର ଶିକ୍ଷାପ୍ରେମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ଏବଂ ଏହା ଜିଲ୍ଲା ତଥା ରାଜ୍ୟର ବିଜ୍ଞାନ-ଆକାଂକ୍ଷୀ ତରୁଣଙ୍କ ପାଇଁ ଆଶା-ଉତ୍ସାହ-ସଂଚାରକାରୀ ହେବ ବୋଲି ମତ ପ୍ରକାଶ ପାଇଛି।