କଳାହାଣ୍ଡି (କବିରାଜ ଦୁର୍ଗା) :- ଦେଶ ଆଜି ୮୦ତମ ସ୍ୱାଧୀନତା ଦିବସ ମହାଆଡମ୍ବର ସହ ପାଳନ କରିସାରିଛି । ସ୍ୱାଧୀନତାର ଏହି ଐତିହାସିକ ଯାତ୍ରାରେ ଅନେକ ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ଦେଶ ଆଜି ବି ସ୍ମରଣ କରୁଛି। ହେଲେ ଦୁଃଖର ବିଷୟ, କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ଜନ୍ମମାଟି ଲୁଭେନଗଡ଼ ଆଜି ବି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ। ମଦନପୁର ରାମପୁର ବ୍ଲକ ଅଧୀନ ଏହି ଅଞ୍ଚଳ ପୂର୍ବରୁ ଉର୍ଲାଦାନୀ ପଞ୍ଚାୟତରେ ସାମିଲ ଥିଲା। ପରବର୍ତ୍ତୀ ସମୟରେ ନୂତନ ପଞ୍ଚାୟତ ଗଠନ ପରେ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ଦୁର୍ଗମ ଓ ପାହାଡ଼ିଆ ଭୌଗୋଳିକ ସ୍ଥିତି ଯୋଗୁଁ ଲୋକଙ୍କ ସମସ୍ୟା ଏବେ ବି ଦୂର ହୋଇନାହିଁ।
ବିଶେଷକରି ବର୍ଷା ଦିନରେ ରାସ୍ତା ଉପରେ ଝରଣା ପାଣି ପ୍ରବାହିତ ହୋଇ ରାସ୍ତାକୁ ଧୋଇ ଦେଉଥିବାରୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହେଉଛି। ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ୧୭ଟି ଗାଁର ଲୋକେ ଲକ୍ଷ୍ମୀ ବସ୍ ସେବାରୁ ମଧ୍ୟ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ଜନ ଆରୋଗ୍ୟ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି। ତେବେ ଦୁର୍ଗମ ଅଞ୍ଚଳର ଯାତାୟାତ ସମସ୍ୟା ଏବେ ବି ଲୋକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି।
ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ଗାଁ ଓ ଏହି ପଞ୍ଚାୟତର ବିକାଶ ପ୍ରତି ସରକାର ଗୁରୁତ୍ୱ ଦେଇ, ବର୍ଷା ଦିନରେ ମଧ୍ୟ ଯାତାୟାତ ସୁଗମ ହେବା ଭଳି ଏକ ସୁଦୃଢ଼ ଓ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି। ସହିଦଙ୍କ ଗାଁ କେବଳ ଇତିହାସର ଅଧ୍ୟାୟ ହୋଇ ନରହି, ବିକାଶର ମୁଖ୍ୟଧାରାରେ ସାମିଲ ହେଉ—ଏହା ହିଁ ଅଞ୍ଚଳବାସୀଙ୍କ ଦାବି।