ରାସଗୋବିନ୍ଦପୁର: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ଦେବଶୋଳ ପଞ୍ଚାୟତର ଅନ୍ଧାରି ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ୬ଟି ପରିବାରର ଘର ଭାଙ୍ଗିଯାଇଥିବା ଘଟଣା ଚିନ୍ତାର କାରଣ ପାଲଟିଛି। ଘଟଣା ସମ୍ପର୍କରେ ଖବର ପାଇ ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ (ଗୃହ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ) ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିଥିଲେ।
ହାତୀପଲଙ୍କ ଉପଦ୍ରବରେ ଘରଗୁଡ଼ିକ ଭାଙ୍ଗିଯିବା ଫଳରେ ପ୍ରଭାବିତ ପରିବାରଗୁଡ଼ିକ ଅସୁବିଧାରେ ପଡ଼ିଛନ୍ତି। ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଘରଗୁଡ଼ିକ ପରିଦର୍ଶନ କରିବା ସହ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଜାଣିଥିଲେ।
କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ବିଳମ୍ବ ନକରି ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଯେଉଁ ପରିବାରଗୁଡ଼ିକ ଘର ହରାଇଛନ୍ତି, ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ନୂତନ ବାସଗୃହ ଯୋଗାଇ ଦେବା ପାଇଁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି।ହାତୀ-ମଣିଷ ସଂଘର୍ଷ ରୋକିବା ସହ ଗ୍ରାମବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଘରଦ୍ୱାର ଭାଙ୍ଗିଯିବା ପରେ ଅସହାୟ ହୋଇପଡ଼ିଥିବା ପରିବାରଗୁଡ଼ିକୁ ଶୀଘ୍ର ସରକାରୀ ସହାୟତା ମିଳିବା ନେଇ ମନ୍ତ୍ରୀଙ୍କ ହସ୍ତକ୍ଷେପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।